Unknown

 

 

 

 

 

 

 

 

 

 

ଏଣ୍ଡି

(ପ୍ରଥମ ଭାଗ)

ଭିକାରୀ ଚରଣ ପଟ୍ଟନାୟକ

 

FOREWORD

 

I have great pleasure in writing this foreword for the book designated Eri by my friend Rai Sahib Bhikari Charan Pattanayak.

 

I have taken great care to go through the work with some minuteness and I find that the plan and the matter of the book would be in conformity with the new educational principles and the right spirit of elementary teaching in our primary schools for which the department has brought out a new syllabus. I may add that during the course of my inspection as also at conferences of primary teachers and inspecting officers, suggestion for educational active work have been all incorporated by Rai Sahib. I consider the book to be of great help to teachers who would try to do in their schools in the form of hand- work and observation training, in the teaching of Eri worm.

 

B.Mukharji

Offg. Inspector Of Schools.

Orissa Division,30-4-29

Image

 

ଓଡ଼ିଶା ବିଭାଗର ସ୍କୁଲ ଇନିସପେକ୍ଟର ଶ୍ରୀଯୁକ୍ତ ବି.ମୁଖାର୍ଜୀ ଏମ୍‍.ଏ ବି.ଏଲ. (କଲିକତା) ଏମ୍‍.ଏ ଏଡୁକେଶନ (ଲିଡସ୍‍) ଙ୍କର ଉପରଲିଖିତ ଇଂରାଜୀ ସୂଚନାର ଅନୁବାଦ ।

 

ସୂଚନା

 

ମୋର ବନ୍ଧୁ ରାୟସାହେବ ଭିକାରୀଚରଣ ପଟ୍ଟନାୟକଙ୍କ କୃତ ‘ଏଣ୍ଡି’ ପୁସ୍ତକର ସୂଚନା ଲେଖିବାରେ ମୁଁ ବିଶେଷ ଆନନ୍ଦିତ ହୋଇଅଛି ।

 

ମୁଁ ପୁସ୍ତକର କେତେକ ଅଂଶ ପୁଙ୍ଖାନୁପୁଙ୍ଖରୂପେ ଓ ଯତ୍ନ ସହକାରେ ଦେଖିଅଛି । ଏହା ପ୍ରଣୟନ କରିବାରେ ଗ୍ରନ୍ଥକାର ନୂତନ ଶିକ୍ଷାଦାନ ପଦ୍ଧତି ଅନୁସରଣ କରିଅଛନ୍ତି; ବିଶେଷତଃ ପ୍ରାଇମେରୀ ସ୍କୁଲମାନଙ୍କ ସକାଶେ ଶିକ୍ଷାବିଭାଗ ଯେଉଁ ନୂତନ ସିଲାବସ୍‍ ପ୍ରସ୍ତୁତ ହୋଇଅଛି । ପ୍ରାଇମେରୀ ସ୍କୁଲ ପରିଦର୍ଶନ ସମୟରେ ଓ ପ୍ରାଇମେରୀ ଶିକ୍ଷକମାନଙ୍କର ସମ୍ମିଳନୀରେ ଶିକ୍ଷାସଂକ୍ରାନ୍ତ କାର୍ଯ୍ୟତତ୍‍ପରତା ବିଷୟରେ ଯେଉଁ ମନ୍ତବ୍ୟମାନ ପ୍ରକାଶ କରିଥିଲି ତାହା ରାୟସାହେବ ତାହାଙ୍କର ପୁସ୍ତକରେ ବିଶେଷ ଭାବରେ ଆଲୋଚନାକରି କାର୍ଯ୍ୟର ମାର୍ଗ ନିର୍ଦ୍ଦେଶ କରିଦେଇଅଛନ୍ତି ।

 

ଯେଉଁ ଶିକ୍ଷକମାନେ ସେମାନଙ୍କର ସ୍କୁଲମାନଙ୍କରେ ଏଣ୍ଡିପୋକ ସମ୍ବନ୍ଧରେ ଶିକ୍ଷାଦେବା ସମୟରେ ହସ୍ତକୃତ କର୍ମ ଓ ପର୍ଯ୍ୟବେକ୍ଷଣ ପ୍ରତି ପ୍ରୟାସୀ ଅଟନ୍ତି ସେମାନଙ୍କ ପକ୍ଷେ ମୋ ମତରେ ଏହି ପୁସ୍ତକ ବିଶେଷଭାବରେ ସାହାଯ୍ୟ କରିବ ।

Image

 

ଶିକ୍ଷକଙ୍କ ପ୍ରତି ଉପଦେଶ

 

ଶିକ୍ଷକ ମହାଶୟ ସ୍ମରଣ ରଖିବେ ଏହି ପୁସ୍ତକଟି ଛାତ୍ରମାନଙ୍କ ସକାଶେ ଲେଖା ହୋଇନାହିଁ । ଏହା ଶିକ୍ଷକଙ୍କ ସକାଶେ ଲେଖାଯାଇଅଛି । ଶିକ୍ଷକ ପାଠ କରି ଛାତ୍ରମାନଙ୍କୁ ଏଥିର ସମସ୍ତ ବିଷୟଗୁଡ଼ିକ କାର୍ଯ୍ୟଦ୍ୱାରା ଶିକ୍ଷା ଦେବେ, ବହିରୁ କେତେକ ଅଂଶ ଯେପରି ଛାତ୍ରମାନେ କଣ୍ଠସ୍ଥ ନ କରନ୍ତି ବା ପୁସ୍ତକ ପାଠକରି କେତେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ନ ହୁଅନ୍ତି ତତ୍‍ ପ୍ରତି ବରାବର ଦୃଷ୍ଟି ରଖିବେ । ତେବେ ସେମାନେ ଶିଖିବେ କିପରି ? ସେମାନଙ୍କୁ ଶିକ୍ଷା ଦେବ ପର୍ଯ୍ୟବେକ୍ଷଣ ଦ୍ୱାରା ଏବଂ ପ୍ରକୃତ କାର୍ଯ୍ୟଦ୍ୱାରା । ଭିନ୍ନଭିନ୍ନ ଶ୍ରେଣୀ ସକାଶେ ଭିନ୍ନ ଭିନ୍ନ କାର୍ଯ୍ୟର ବିଭାଗ କରାଯାଇଅଛି । ଶିକ୍ଷକ ସେହି କାର୍ଯ୍ୟଗୁଡ଼ିକ ଛାତ୍ରମାନଙ୍କଦ୍ୱାରା ଏପରି ଭାବରେ କରାଇନେବେ ଯେ ତହିଁରୁ ଛାତ୍ରମାନେ ଏଣ୍ଡିପୋକଙ୍କର ଆହାର କେତେକଗୁଡ଼ିଏ ବୃକ୍ଷ ଓ ଲତା ସମ୍ବନ୍ଧେ ଅନେକ କଥା ବୁଝିପାରିବେ ଏବଂ ଏଣ୍ଡିପୋକ ପୋଷିବା ପ୍ରଣାଳୀ ଓ ସେମାନଙ୍କର ସ୍ୱଭାବ ବ୍ୟବହାର ପ୍ରଭୃତି ଯାହା କିଛି ଶିଖିବାର ଆବଶ୍ୟକ ତାହା ସମସ୍ତ ନିଜେ ନିଜେ ଆପଣାର କାର୍ଯ୍ୟରୁ ଶିଖିପାରିବେ । ସେଥି ନିମନ୍ତେ ଦୁଇଗୋଟି ସୂକ୍ଷ୍ମ ଉପାୟର ସୂଚନା କରାଯାଇଅଛି, ଯଥା–

 

୧.

ଛାତ୍ରମାନଙ୍କ ହାତରେ ସମସ୍ତ କାର୍ଯ୍ୟ କରାଇବା ।

 

 

୨.

ଦ୍ୱିତୀୟଶ୍ରେଣୀ ପରି ଅନ୍ୟ ଶ୍ରେଣୀର ଛାତ୍ରମାନଙ୍କୁ ଡାଇରୀ ରଖିବାକୁ ଶିକ୍ଷା ଦେବା ।

 

ଏହାକୁ କାର୍ଯ୍ୟରେ ପରିଣତ କରିବା କାରଣ ଯେଉଁ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ ହୋଇଅଛି ତାହା ମଧ୍ୟ ଦିଆଗଲା ।

 

କାର୍ଯ୍ୟ କିପରି କରିବାକୁ ହେବ ତହିଁର ଗୋଟିଏ ଆଦର୍ଶପାଠ ଟୀକା ମଧ୍ୟ ଦିଆଯାଇଅଛି, ସେହି ଆଦର୍ଶରେ ଶିକ୍ଷକ ଅନ୍ୟ ସମସ୍ତ କାର୍ଯ୍ୟ କରାଇ ନେବେ ।

 

ପ୍ରତ୍ୟେକ ଛାତ୍ରକୁ ଖଣ୍ଡିଏ ଲେଖାଏଁ ଖାତା ରଖିବାକୁ ଉପଦେଶ ଦେବେ । ଛାତ୍ର ଯେଉଁଦିନ ପୋକଙ୍କର ଯେଉଁ ଅବସ୍ଥା ଦେଖିବ ଓ ଯେଉଁଦିନ ଯେଉଁ କାର୍ଯ୍ୟ କରିବ ଓ ଯେତେବେଳେ ଯେଉଁ ପରିମାଣରେ ପତ୍ର ଖାଇବାକୁ ଦେବ ତାହା ସମସ୍ତ ସେହି ଖାତା ଖଣ୍ଡିକରେ ଲେଖିବାକୁ ଶିକ୍ଷାଦେବ । ଛାତ୍ର ପ୍ରତିଦିନ ଯାହା ଦେଖୁଥିବ ତାହା ଯେବେ ନିଜ ଖାତାରେ ଲେଖିପାରିବ ତାହା ହେଲେ ଛାତ୍ରଟି ନିଜର ନୋଟ ବହିରେ ଏଣ୍ଡି ଚାଷ ସମ୍ବନ୍ଧେ ଏ ପୁସ୍ତକରେ ଯାହା କିଛି ଅଛି ତାହା ସମସ୍ତ ଆପଣାର ଭାଷାରେ ନୋଟ କରିପାରିବ ଏବଂ ତାହାର ନୋଟ ଖଣ୍ଡିକ ତାହାର ନିଜର ଏଣ୍ଡି ଚାଷ ପୁସ୍ତକ ହୋଇଯିବ । ଆବଶ୍ୟକ ହେଲେ ସେ ସେହି ନୋଟରୁ ଯେତେ ସାହାଯ୍ୟ ପାଇପାରିବ ଅନ୍ୟ କୌଣସି ପୁସ୍ତକରୁ ସେପରି ସାହାଯ୍ୟ ପାଇପାରିବ ନାହିଁ ।

 

କାର୍ଯ୍ୟ କରାଇବା ସମ୍ବନ୍ଧେ ମଧ୍ୟ ଶିକ୍ଷକ ସ୍ମରଣ ରଖିବେ ଯେ ଛାତ୍ରମାନଙ୍କୁ କେବଳ କାର୍ଯ୍ୟର ବରାଦ ଦେଇ ସେମାନଙ୍କ ହାତରେ କାର୍ଯ୍ୟ କରାଇନେବେ । ସେହି କାର୍ଯ୍ୟକୁ ତାଙ୍କର ଡାଇରୀରେ ଲେଖାଇଦେବେ । କିନ୍ତୁ ପୁସ୍ତକରୁ କିଛି ସେମାନଙ୍କୁ ପଢ଼ିବାକୁ କହିବେ ନାହିଁ, କି ପଢ଼ି ଶୁଣାଇବାର ମଧ୍ୟ ଆବଶ୍ୟକ ହେବନାହିଁ । ପୁସ୍ତକ ନିଜେ ପଢ଼ି ଯାହା ଆବଶ୍ୟକ ତାହା କରିବାକୁ ବରାଦ ଦେବେ ଓ କାର୍ଯ୍ୟ କରାଇ ନେବେ । ସେହି କାର୍ଯ୍ୟଗୁଡ଼ିକ ଯେପରି ଭାବରେ ଓ ଯେଉଁ ଫାରମରେ ଡାଇରୀରେ ଲେଖିବାକୁ ହେବ ତହିଁର ଆଦର୍ଶ ଫାରମ ମଧ୍ୟ ଏହି ପୁସ୍ତକରେ ଦିଆଗଲା-

 

ନିମ୍ନଲିଖିତ ପାଠ୍ୟତାଲିକା ଶିକ୍ଷାବିଭାଗଙ୍କଦ୍ୱାରା ଅନୁମୋଦିତ ହୋଇଥିବାରୁ ତାହା ପ୍ରକାଶ କରାଗଲା ।

 

୨ୟ ଶ୍ରେଣୀରେ–

ଗବଗଛ, କାଠଚମ୍ପା, ବନ୍ଧାକୋବି, କନ୍ଦମୂଳ, ଅମୃତଭଣ୍ଡା, କଦଳୀ, ଅମରଜଡ଼ା ପ୍ରଭୃତି ଗଛମାନଙ୍କର ପର୍ଯ୍ୟବେକ୍ଷଣ । ଏଣ୍ଡି ପୋକଙ୍କର ପ୍ରଧାନ ଖାଦ୍ୟ ଗବପତ୍ର ଏବଂ ଅଭାବ ପକ୍ଷେ କେବଳ ଜୀବନ ରକ୍ଷା ନିମନ୍ତେ ଅନ୍ୟ ଯେ ପତ୍ର ଦିଆଯାଏ ଏବଂ ଅମରଜଡ଼ା ଓ ଜଡ଼ାପତ୍ର ମଧ୍ୟରେ ପାର୍ଥକ୍ୟ ବୁଝାଇବା କାରଣ ସେହି ସମସ୍ତ ବୃକ୍ଷମାନଙ୍କର ବିଶେଷ ପର୍ଯ୍ୟବେକ୍ଷଣ ଆବଶ୍ୟକ । ଉଦ୍ଭିଦ ସମ୍ବନ୍ଧେ କେତେକ ସାଧାରଣ କଥାପରି ଏହି ବୃକ୍ଷମାନଙ୍କ ବିଷୟ ଏହି ପୁସ୍ତକରେ ଦିଆଯାଇଅଛି ।

 

 

୩ୟ ଶ୍ରେଣୀରେ–

ରେଶମ, ଏଣ୍ଡିପାଟ, ଏଣ୍ଡିପୋକ, ଏଣ୍ଡି ପୋକଙ୍କର ଆହାର, ଏଣ୍ଡି ପୋକ ପୋଷିବାର ଉପକରଣ, ଏଣ୍ଡି ପୋକ ପୋଷିବାର ସ୍ଥାନ ବିଷୟମାନ ଶିକ୍ଷା ଦିଆଯିବ ।

 

 

୪ର୍ଥ ଶ୍ରେଣୀରେ–

ପୋକ ପୋଷିବାର ନିୟମ, ପୋକମାନଙ୍କର ବର୍ଣ୍ଣ ପରିବର୍ତ୍ତନ, ପୋକଙ୍କର ଆକାର ବୃଦ୍ଧି, ପୋକ ପାକଳ ହେବା ଅର୍ଥାତ୍‍ କୋଷା ବାନ୍ଧିବାର ଉପଯୁକ୍ତ ହେବା ବିଷୟ, ଋତୁର ଫଳ ଅର୍ଥାତ୍‍ କେଉଁ ଋତୁରେ ପୋକ ବଳିଷ୍ଠ ହୋଇ ବଢ଼ନ୍ତି ଏବଂ କେଉଁ ଋତୁରେ ମରିଯାନ୍ତି ତଦ୍‍ ବିଷୟ ଏବଂ ଏଣ୍ଡି ପୋକଙ୍କର ଶତ୍ରୁ ବିଷୟ ଗୁଡ଼ିକ ଶିକ୍ଷା ଦିଆଯିବ ।

 

 

୫ମ ଶ୍ରେଣୀରେ–

ଏଣ୍ଡି ପୋକଙ୍କର ରୋଗ, କୋଷା ପାଚିଆ, ବର୍ଣ୍ଣ ପରିବର୍ତ୍ତନ, ଓଜନ, ପ୍ରଜାପତି, ଅଣ୍ଡା, ଅଣ୍ଡା ଫୁଟିବା କଥା, ଏବଂ ଏଣ୍ଡି ପୋକଙ୍କର ଜୀବନ କାଳ ସମ୍ବନ୍ଧେ ଶିକ୍ଷା ଦିଆଯିବ ।

 

 

୬ଷ୍ଠ ଶ୍ରେଣୀରେ–

କୋଷା ସିଦ୍ଧ କରିବା ନିୟମ, ସୂତା କଟା, ଏଣ୍ଡିପାଟର ଲାଭ, ପୋକ ବୃଦ୍ଧି ସଙ୍ଗେ ଗବପତ୍ରର ବୃଦ୍ଧି ବିଷୟ ଶିକ୍ଷା ଦିଆଯିବ ।

Image

 

ଆଦର୍ଶପାଠ ଟୀକା

ଗବଗଛ

 

ଉପକରଣ :—ଗବଡ଼ାଳ, ଗବପତ୍ର, ଗବପେଣ୍ଡା (ଫଳ ସହିତ), ଅମୃତଭଣ୍ଡା ପତ୍ର, ଅମୃତଭଣ୍ଡା ଫୁଲ ଓ ଫଳ ।

 

ବିଷୟ

ପଦ୍ଧତି

ଗବଗଛ ବଡ଼ ହେଲେ ଫୁ୧୪/୧୫ଟ ଉଚ୍ଚ ହୁଏ । ଗଛଟି ଶକ୍ତ ତେଣୁ ଅନ୍ୟ ଗଛର ସାହାଯ୍ୟ ନ ନେଇ ଠିଆ ହୋଇପାରେ । ଗଛର କାଣ୍ଡ ଧଳା ଓ ଖସ୍‍ଖସିଆ । ଗଛରେ ଅନେକଗୁଡ଼ିଏ ଡାଳ ଥାଏ ।

 

ଅମୃତଭଣ୍ଡା ଗଛ ବଡ଼ ହେଲେ ଫୁ ୨୦/୨୫ ଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଗଛଟି ମଟକା ତେଣୁ ଭାରି ପବନରେ ଭାଙ୍ଗିପଡ଼େ । ଗଛର କାଣ୍ଡ ଧଳା ଓ ଖସ୍‍ଖସିଆ । ଏ ଗଛର ଡାଳ ଦେଖାଯାଏ ନାହିଁ ।

 

ଛାତ୍ରମାନଙ୍କୁ ବାହାରକୁ ନେଇ ଶିକ୍ଷା ଦିଆଯିବ ।

 

ପର୍ଯ୍ୟବେକ୍ଷଣ—ଏହା ଅତ୍ୟାବଶ୍ୟକ ବୋଲି ମନେ କରିବାକୁ ହେବ ।

 

ଛାତ୍ରମାନେ ସ୍କୁଲ ହତା ମଧ୍ୟରେ ଥିବା ଗବଗଛ ନିକଟକୁ ଯାଇ ପର୍ଯ୍ୟବେକ୍ଷଣ କରିବେ କିମ୍ବା ଶିକ୍ଷକ ଗବପତ୍ର ଇତ୍ୟାଦି ଅଣାଇ ଶିକ୍ଷାଦେବେ ଓ ଛାତ୍ରମାନଙ୍କୁ ତାହା ପର୍ଯ୍ୟବେକ୍ଷଣ କରିବା ନିମନ୍ତେ ଉତ୍ସାହିତ କରାଇବେ ।

 

ଛାତ୍ରମାନଙ୍କଦ୍ୱାରା (କ) ଗବପତ୍ର (ଖ) କଅଁଳିଆ ପତ୍ର (ଗ) ଗବଡ଼ାଳ ଇତ୍ୟାଦି ଗବଗଛର ପ୍ରଧାନ ଅଂଶ ଗୁଡ଼ିକର ଯଥା ସମ୍ଭବ ଅଙ୍କନ ।

 

ପର୍ଯ୍ୟବେକ୍ଷଣ ଓ ଅଙ୍କନ ହେବାପରେ ଶିକ୍ଷକ ଛାତ୍ରମାନଙ୍କର ଜ୍ଞାନ ପରୀକ୍ଷା କରିବା ଉଦ୍ଦେଶ୍ୟରେ ନିମ୍ନଲିଖିତ ପ୍ରକାରର ପ୍ରଶ୍ନ ପଚାରିବେ :–

 

(୧) ଗୋଟିଏ ଗବପତ୍ର ଦେଖାଇ ଶିକ୍ଷକ ଛାତ୍ରମାନଙ୍କଠାରୁ ପତ୍ରର ଆକାର ପ୍ରଭୃତି ବିଷୟର ଉତ୍ତର ଆଦାୟ କରିବେ ।

 

(୨) ଗବପତ୍ର ଓ ଅମୃତଭଣ୍ଡା ପତ୍ରର ସାଦୃଶ୍ୟ ଓ ପାର୍ଥକ୍ୟ ସମ୍ବନ୍ଧରେ ପ୍ରଶ୍ନ କରି ଉତ୍ତର ଆଦାୟ କରିବେ ।

 

 

(୩) ଗବପତ୍ରରେ ଲାଗିଥିବା ନଳ ଓ ଅମୃତଭଣ୍ଡା ପତ୍ରରେ ଲାଗିଥିବା ନଳର ସାଦୃଶ୍ୟ ଓ ପାର୍ଥକ୍ୟ ସମ୍ବନ୍ଧରେ ପ୍ରଶ୍ନକରି ଉତ୍ତର ଆଦାୟ କରିବେ ।

 

ଶିକ୍ଷକ ଛାତ୍ରମାନଙ୍କୁ କଳାପଟାରେ ନିମ୍ନଲିଖିତ ଉପାୟରେ କାର୍ଯ୍ୟ କରାଇବେ ।

 

(୧) ଛାତ୍ରମାନଙ୍କୁ ଗବପତ୍ର, ଡାଳ, ପେଣ୍ଡା ଓ ଫଳ ଅଙ୍କନ କରିବାକୁ କହିବେ ।

 

(୨) ଗବପତ୍ର ଓ ଅମୃତଭଣ୍ଡା ପତ୍ରର ସାଦୃଶ୍ୟ ଓ ପାର୍ଥକ୍ୟ ଚିତ୍ରଦ୍ୱାରା ବୁଝାଇବାକୁ କହିବେ ।

 

ଉଲ୍ଲିଖିତ କ୍ରମାନୁଯାୟୀ ଅନ୍ୟାନ୍ୟ ପାଠଗୁଡ଼ିକ ମଧ୍ୟ ଆଲୋଚନା କରିବାକୁ ହେବ ।

 

ପର୍ୟ୍ୟବେକ୍ଷଣ ନୋଟ ବହି ଫାରମର ନମୁନା

 

ତାରିଖ

ବିଷୟ

ପର୍ୟ୍ୟବେକ୍ଷଣ

ଶିକ୍ଷକଙ୍କ ସ୍ୱାକ୍ଷର

 

 

 

 

 

 

 

 

 

 

 

 

 

 

Image

 

ପ୍ରଥମ ଅଧ୍ୟାୟ – ଦ୍ୱିତୀୟ ଶ୍ରେଣୀ

(କ) ଗଛ

 

ବଗିଚାରେ ବା ଗ୍ରାମରେ ବୁଲିଆସ, ଅନେକ ପ୍ରକାର ଗଛ ଦେଖିପାରିବ । ଘରୁ ବାହାରିଲେ ନାନାପ୍ରକାର ଘାସଗଛ, ବଗିଚାରେ ଅନେକ ପ୍ରକାର ଫୁଲ ଓ ଫଳଗଛ ଅଛି । ଗ୍ରାମରେ ବର ଗଛ, ଆମ୍ବଗଛ, ନଡ଼ିଆ ଗଛ, ପଣସ ଗଛ ପ୍ରଭୃତି ଯେତେପ୍ରକାର ଗଛ ଦେଖୁଅଛ ସେ ସମସ୍ତଙ୍କୁ ଉଦ୍ଭିଦ କହନ୍ତି । ସେମାନେ ମାଟିକୁ ଭେଦକରି ଉଠନ୍ତି ତେଣୁ ସେମାନେ ଉଦ୍ଭିଦ । ସେମାନଙ୍କର ଜୀବନ ଅଛି, ସେମାନେ ଜନ୍ମ ହୁଅନ୍ତି, ଆହାର ଖାଆନ୍ତି, ବଢ଼ନ୍ତି ଏବଂ ମରନ୍ତି ।

 

ଉଦ୍ଭିଦ ତିନିଗୋଟି ଶ୍ରେଣୀରେ ବିଭକ୍ତ; ଯଥା :–ବୃକ୍ଷ, ଲତା ଓ ତୃଣ ।

 

ସେମାନଙ୍କର ଆହାର ମାଟିରେ ଏବଂ ପବନରେ ଥାଏ । ମୂଳଟି ମାଟି ଭିତରକୁ ଯାଇ ମାଟିରୁ ଆହାର ଟାଣେ ଏବଂ ପତ୍ର ପବନରୁ ଆହାର ଟାଣେ ଏବଂ ପତ୍ର ପବନରୁ ଆହାର ଟାଣେ ଓ ମଧ୍ୟ ଚେର ଯେଉଁ ରସ ମାଟିରୁ ଟାଣିନିଏ, ତାହା କାଣ୍ଡ ଓ ଡାଳଦ୍ୱାରା ପତ୍ରକୁ ଯାଏ ସେଠାରେ ଆଲୋକଦ୍ୱାରା ପରିପାକ ହୋଇ ଗଛକୁ ବଢ଼ାଏ ।

 

ପ୍ରଶ୍ନ

 

୧.

ଉଦ୍ଭିଦ କାହାକୁ କହନ୍ତି ?

 

 

୨.

ଯେତେ ପ୍ରକାର ଉଦ୍ଭିଦ ଦେଖିଅଛ ସେମାନଙ୍କ ମଧ୍ୟରୁ ୩୦ ଗୋଟି ଉଦ୍ଭିଦର ନାମ କହ । ୫ ଗୋଟି ବୃକ୍ଷର ନାମ ୫ ଗୋଟି ଲତାର ନାମ ଏବଂ ୫ ଗୋଟି ତୃଣର ନାମ କହ ।

 

 

୩.

ବରଗଛ, ପୋଇଗଛ, ଲେଉଟିଆ ଶାଗ, ଏ ତିନି ଉଦ୍ଭିଦଙ୍କ ମଧ୍ୟରେ ପ୍ରଭେଦ କ’ଣ ?

 

 

୪.

ଚେରଗୁଡ଼ିକ କାଟିଦେଲେ ଗଛଟି ବଞ୍ଚିବ କି ନାହିଁ ? ଯେବେ ନ ବଞ୍ଚେ କାହିଁକି ବଞ୍ଚିବନାହିଁ-?

 

(ଖ) ଗବଗଛ

 

ଏଣ୍ଡି ପୋକଙ୍କର ପ୍ରଧାନ ଆହାର ଗବପତ୍ର ।

 

ଗବଗଛ ସମସ୍ତେ ଦେଖିଅଛ । ଅପରପାର୍ଶ୍ୱରେ ଗୋଟିଏ ଗବଗଛର ଛବି ଦିଆଗଲା । ପ୍ରାୟ ପ୍ରତି ଗ୍ରାମରେ ଗବଗଛ ଅଛି । ଏହାକୁ କେହି ‘ଗବ’ କହନ୍ତି, କେହି ‘ଜଡ଼ା’ କହନ୍ତି ଓ ପୁରୀ ବାଣପୁର ଅଞ୍ଚଳରେ ‘କାଲ’ କହନ୍ତି ।

 

ଏହି ଗବ ସାଧାରଣତଃ ଦୁଇ ପ୍ରକାର; ବଡ଼ଗବ ବା ବାଡ଼ିଗବ ଏବଂ ବିଲଗବ ବା ଛୋଟଗବ ।

 

ବାଡ଼ିରେ ଯେଉଁ ଗବ ହୁଏ ତାହାର ଗଛ ଖୁବ୍ ବଡ଼ ବଡ଼ ହୁଏ, କେହି କେହି ୧୪।୧୫ ଫୁଟ ଉଚ୍ଚ ହୁଏ ଏବଂ ସେମାନଙ୍କର ଶାଖା ପ୍ରଶାଖା ଯଥେଷ୍ଟ ହୁଏ ।

 

ବିଲରେ ଯେଉଁ ଗବଚାଷ ହୁଏ ସେଗୁଡ଼ିକ ସାଧାରଣତଃ ଛୋଟଗବ, ସେ ଗଛ ୫।୬ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଶାଖା ପ୍ରଶାଖା ବେଶୀ ହୁଏ ନାହିଁ । କୌଣସି କୌଣସି ସ୍ଥାନରେ ମାଟିର ବିଶେଷତ୍ୱ ଯୋଗୁଁ ଆଉ କିଛି ଅଧିକ ବଡ଼ ହୋଇଥାଏ ।

 

ବାଡ଼ିଗବ ବା ବଡ଼ଗବ ବୈଶାଖ ବା ଜ୍ୟେଷ୍ଠ ମାସରେ ବର୍ଷାହେଲେ ଲଗାଯାଏ । ବିଲଗବ ଆଶ୍ୱିନ ବା କାର୍ତ୍ତିକ ମାସରେ ଲଗାହୁଏ । ବଡ଼ ଗବଗଛ ୪।୫ ବର୍ଷ କାଳ ବଞ୍ଚିରହେ । ମାତ୍ର ସାନ ଗବଗଛରେ ଫଳ ହୋଇ ଚୈତ୍ର ବୈଶାଖ ବେଳକୁ ଫଳ ପାଚିଯାଏ, ଫଳ ପାଚିଗଲେ ଗଛ ମରିଯାଏ ।

 

Image

 

ବାଡ଼ିଗବ ଅପେକ୍ଷା ବିଲ ଗବ ମଞ୍ଜିରୁ ତେଲ ବେଶି ବାହାରେ । ନଇକୂଳିଆ ଦୋରସା ମାଟିରେ ଗବ ଭଲ ହୁଏ । ପୋଖରୀ ପଙ୍କ ଗବ ଚାଷର ଉତ୍କୃଷ୍ଟ ସାର, ଗୋବର ମଧ୍ୟ ଭଲ ସାର ।

 

ଜଡ଼ା ଚାଷରେ ବେଶି ପରିଶ୍ରମ ନାହିଁ । ଚାଷକରି ଢେଲାଗୁଡ଼ିକ ଭାଙ୍ଗିଦେବ । ୩ ଫୁଟ ଛଡ଼ାରେ ସିଆର କରି ହାତେ ଛଡ଼ାରେ ଯୋଡ଼ିଏ ଲେଖାଏଁ ମଞ୍ଜି ପୋତିଦେବ ।

 

ପ୍ରତି ଏକର ଜମି ସକାଶେ ବାଲେଶ୍ୱରୀ ୨ ସେର ମଞ୍ଜି ଦରକାର ହେବ ।

 

ଗଛ ହେଲାପରେ କେବଳ ଥରେ ଦୁଇଥର ଘାସ ବାଛି ଦେବାକୁ ପଡ଼ିବ । ସିଆର ମଧ୍ୟରେ ଲଙ୍ଗଳ ଚଲାଇ ଦେଲେ ମଧ୍ୟ ଚଳିବ । ପାଣି ମଡ଼ାଇବାକୁ ହେବନାହିଁ କିମ୍ବା ଆଉ କିଛି କରିବାକୁ ହେବ ନାହିଁ ।

 

ବାଡ଼ିଗବ ବାଡ଼ ପାଖେ ପାଖେ ୨।୩ ହାତ ଅନ୍ତରରେ ବୁଦାଏ ବୁଦାଏ ପୋତିଦେଲେ ହେଲା । ମୂଳରୁ ଥରେ ଦୁଇଥର କେବଳ ଘାସ ବାଛିଦେବ । ଗଛ ବଡ଼ ହୋଇଗଲେ ଆଉ କିଛି କରିବାକୁ ହେବନାହିଁ ।

 

ଏକ ଏକର ଜମିରୁ ୧୦ ମହଣ ଗବ ମିଳିପାରିବ ।

 

(ଗ) ଗବପେଣ୍ଡା ଓ ଗବ

 

ଗବଗଛ ବା ଡାଳର ଅଗରେ ଗୋଟିଏ ଗୋଟିଏ ପେଣ୍ଡା ଧରେ । ପ୍ରତି ପେଣ୍ଡାରେ ଅନେକଗୁଡ଼ିଏ ଫଳ ଥାଏ । ଫଳ ଗୋଟିଏ ଭାଙ୍ଗିଦେଲେ ଦେଖିବ ତହିଁରେ ତିନୋଟି କୋଷା ଅଛି-। ସାଧାରଣତଃ ଗବ ପାଚିଗଲେ ଫଳଗୁଡ଼ିକ ତୋଳିଆଣି ତାକୁ କୁଟା ଘୋଡ଼ାଇ ଗୋଟିଏ କୋଣରେ ଜମାକରି ଦିଅନ୍ତି । ୭।୮ ଦିନରେ ଚୋପାଗୁଡ଼ିକ ପଚିଯାଏ । ସେତେବେଳେ ତାକୁ ଖରାରେ ଶୁଖାଇ ଦିଅନ୍ତି; ଶୁଖିଗଲେ ଠେଙ୍ଗାରେ ବାଡ଼େଇ ଗବ ମଞ୍ଜି ବାହାର କରନ୍ତି ।

 

ଗୋଟିଏ ଗବଫଳ ଶିଶୁମାନଙ୍କୁ ଦେଖାଅ । ଫଳଟିର ଉପରେ ଗୋଟିଏ ନରମ ଚୋପା-। ସେହି ଚୋପା ଉପରେ ଗୁଡ଼ିଏ କଣ୍ଟା ବାହାରିଅଛି, ମାତ୍ର ତାହା ଟାଣ ନୁହେଁ । ଏହି ଚୋପାଟି ପଚିଗଲେ ଭିତରେ ଯେଉଁ କୋଷା ତିନୋଟି ଥାଏ ତହିଁର ପ୍ରତ୍ୟେକଟି ଦୁଇ ଫାଳରେ ବିଭକ୍ତ ଓ ଚିକ୍‍କଣ । ଦୁଇଟି ଫାଳ ଲାଗି ଗୋଟିଏ କୋଷା ହୋଇଅଛି । ଶୁଖିଗଲେ ସେଇଟି ଫାଟିଯାଏ । ଖରାରେ ଶୁଖୁଥିବା ବେଳେ ଗୋଟିଏ ଗୋଟିଏ କୋଷା ଟକ୍‍ ଟକ୍‍ ଶବ୍ଦ କରି ଫାଟେ-। ଏହି କୋଷାଟି ମଧ୍ୟରେ ଗବମଞ୍ଚି ଥାଏ ଓ ଗବ ଛିଡ଼ିକି ଦୂରରେ ପଡ଼େ ।

 

ଗବ ମଞ୍ଜିଟିର ଉପରଟି ପୁଣି ଗୋଟିଏ ବେଶ୍‌ ସୁନ୍ଦର ଚିକ୍‍କଣ ଖୋଳପା, ସେଇଟି ଭାଙ୍ଗିଦେଲେ ତା’ ଭିତରୁ ପରିଷ୍କାର ଧୋବଲା ଗୋଟିଏ ଶସ ବାହାରିବ– ସେହି ଶସଟିରେ ତୈଳ ଅଛି ।

 

ଗବକୁ ପ୍ରଥମେ କୁଟିଦେଇ ତାକୁ ରାନ୍ଧି ତେଲ ବାହାର କରନ୍ତି, କେହି ଅବା ଘଣାରେ ପେଡ଼ି ତେଲ ବାହାର କରନ୍ତି ।

 

(ଘ) ବାଇଗବା ଗଛ

 

ଆଉ ଗୋଟିଏ ଗଛ ଅଛି, ତାକୁ ବାଇଗବା କହନ୍ତି, ସେହି ଗଛକୁ କେହି କହନ୍ତି ଅମର ଜଡ଼ା, କେହି ଅବା କହନ୍ତି ବାଇଜଡ଼ା ବା ବାଇଆଗବ । ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ଜଡ଼ାକୁ କେବଳ ଜଡ଼ା କହନ୍ତି, ଗବ ଅର୍ଥରେ ସେହି ବାଇଆ ଗବକୁ ବୁଝନ୍ତି, ବାଇଗବାର କ୍ଷୀର ବଡ଼ କଟୁ, ସେଗୁଡ଼ିକର ପତ୍ର ଏଣ୍ଡିପୋକଙ୍କର ଆହାର ନୁହେଁ ।

 

ବାଇଗବା ଫଳର ଉପରିଭାଗ ଗବଫଳ ପରି ନୁହେଁ, ତାହା ଚିକ୍‍କଣ । ଆକାର ମଧ୍ୟ ଗବଫଳ ଅପେକ୍ଷା ବଡ଼, ଫଳ ଭିତରେ ଗବଫଳ ପରି ତିନୋଟି କୋଷାଥାଏ, ପ୍ରତି କୋଷା ମଧ୍ୟରେ ଠିକ୍ ଗବ ପରି ଶସ ଥାଏ, କେବଳ ଆକାର ବଡ଼ ଏବଂ ତାହାର ଶସଟି ମଧ୍ୟ ତୈଳପୂର୍ଣ୍ଣ ।

 

ବାଇଗବା ଗଛ କେବଳ ବାଡ଼ ସକାଶେ ଲଗାଯାଏ, ତାକୁ ଅମରଜଡ଼ା କହନ୍ତି, କାରଣ ସେ ସହଜରେ ମରେ ନାହିଁ ।

 

ଏହାର ଆଉ ଗୋଟିଏ ବିଶେଷତ୍ୱ ଏହି ଯେ ଏହାର ଡାଳକୁ କାଟି ଲଗାଇଦେଲେ ଚେର ବାହାରି ତାହା ବଞ୍ଚିଯାଏ ଓ ଗଛ ହୁଏ ।

 

ବର୍ଷାଦିନ ପୂର୍ବରୁ ଯେବେ ଗାତ ଖୋଳି ତହିଁରେ ଗୋବର, ପଚାପତ୍ର ଓ ପାଉଁଶ ଆଦି ଦେଇ ରଖିବ ଏବଂ ଅସରାଏ ଦୁଇଅସରା ବର୍ଷା ହୋଇଗଲା ପରେ ବର୍ଷା ହେଉଥିବା ଦିନରେ ବାଇଗବା ଗଛରୁ ସରୁ ସରୁ ଡାଳଗୁଡ଼ିଏ କାଟି ଆଣି ସେହି ଗାତରେ ଦେଇ ମୂଳ ପୋତି ଦେବ ତାହାହେଲେ ଏକମାସ ବା ଦେଢ଼ ମାସ ପରେ ସେଗୁଡ଼ିକ ପତ୍ର ଦେଇ ଗଛ ହୋଇଯିବ । ବାଡ଼ ସକାଶେ ଏ ଗଛ ବଡ଼ସୁବିଧାଜନକ ।

 

ପ୍ରଶ୍ନ

 

୧.

ଗବଫଳ ଓ ବାଇଗବା ଫଳ ମଧ୍ୟରେ ପାର୍ଥକ୍ୟ କ’ଣ ?

 

 

୨.

ଗବପତ୍ର ଓ ବାଇଗବା ପତ୍ର ମଧ୍ୟରେ ପାର୍ଥକ୍ୟ କ’ଣ ?

 

 

୩.

ଗବପତ୍ରର ଡେମ୍ଫ ଏବଂ ବାଇଗବା ପତ୍ର ଡେମ୍ଫର ମଧ୍ୟରେ ପାର୍ଥକ୍ୟ କ’ଣ ?

 

 

୪.

ଗବପତ୍ର ବେଶିଦିନ ବଞ୍ଚେ କି ବାଇଗବା ଗଛ ବେଶି ଦିନ ବଞ୍ଚେ ?

 

 

୫.

ଗବ ଓ ବାଇଗବା ଲଗାଇବାରେ କିଛି ପାର୍ଥକ୍ୟ ଅଛି କି ?

 

(ଙ) ଗବ ଅଙ୍କୁର

 

ଉପରେ ଯେଉଁ ଶସଟି କଥା ପଢ଼ିଲ, ସେହି ଶସଟିକୁ ସାବଧାନରେ ଲମ୍ବଦିଗରେ ଚିରିଦେଲେ ଦେଖିବ ତହିଁ ମଧ୍ୟରେ ଦୁଇଟି ଅତିପାତଳ ପତ୍ର ସହିତ ଖୁବ୍ ସୂକ୍ଷ୍ମ ଶିଶୁଗଛଟି ଅଛି । ମାଟିରେ ପୋତିଲେ ଜଳ ବାୟୁ ଓ ଉତ୍ତାପ ଏହି ତିନୋଟି ପଦାର୍ଥର ସଂଯୋଗରେ ସେହି ଶିଶୁ ବୃକ୍ଷଟି ବାଢ଼ିବାକୁ ଆରମ୍ଭ କରେ । ତାର ଚେର ତଳକୁ ଯାଇ ମାଟିରୁ ରସ ଟାଣେ ଏବଂ କାଣ୍ଡଟି ଉପରକୁ ଉଠି ପତ୍ର ଧାରଣ କରେ । ସବୁ ଗଛମାନଙ୍କ ପରି ଏହାର ପତ୍ର ମଧ୍ୟ ବାୟୁରୁ ଆହାର ଟାଣେ ।

 

ଗବଗଛର କାଣ୍ଡ ଭିତରଟି ପୋଲା । ପତ୍ରର ଡେମ୍ଫଗୁଡ଼ିକ ଲମ୍ବ ଲମ୍ବ ଏବଂ ତହିଁର ଭିତରଟି ମଧ୍ୟ ପୋଲା ।

 

ଆମ୍ଭମାନଙ୍କ ଦେଶରେ ଜଡ଼ାତେଲ ଜାଳିବା ସକାଶେ ବ୍ୟବହୃତ ହେଉଥିଲା । ବର୍ତ୍ତମାନ ମଧ୍ୟ କେହି କେହି ଜାଳନ୍ତି, କେହି କେହି ଦେହରେ ଲଗାନ୍ତି, କେତେକ ସ୍ଥାନରେ ଗରିବ ଲୋକମାନେ ତରକାରି ବଘାରନ୍ତି । ଜଡ଼ାତେଲ ନାନା ପ୍ରକାର ଔଷଧରେ ବ୍ୟବହୃତ ହୁଏ ।

 

ପ୍ରଶ୍ନ

 

୧.

ଗବଗଛ କେତେ ବର୍ଷ ବଞ୍ଚେ ?

 

 

୨.

ଗବଗଛ ପରି ଆଉ କେଉଁ ଗଛରେ ଫଳ ପେଣ୍ଡା ପେଣ୍ଡା ହୋଇ ଧରେ ?

 

 

୩.

ଗବଗଛର କାଣ୍ଡ ଓ ଆମ୍ବଗଛର କାଣ୍ଡ ମଧ୍ୟରେ ପ୍ରଭେଦ କ’ଣ ?

 

 

୪.

ଗବଗଛର ଚେରଗୁଡ଼ିକ ଛିଣ୍ଡାଇଦେଲେ ଫଳ କ’ଣ ହେବ ?

 

 

୫.

ଜଡ଼ାତେଲ କିପରି ପ୍ରସ୍ତୁତ କରାଯାଏ ?

 

 

୬.

ଜଡ଼ାତେଲ ଓ ସୋରିଷତେଲ ମଧ୍ୟରେ ପ୍ରଭେଦ କ’ଣ ?

 

 

୭.

ଜଡ଼ାତେଲ କେଉଁ କେଉଁ ପ୍ରକାରରେ ଜାଳିବାର ଦେଖିଅଛ ?

 

 

୮.

ଜଡ଼ାର ଆଉ କି କି ବ୍ୟବହାର ଜାଣ ଉଲ୍ଲେଖ କର ?

 

(ଚ) କାଠଚମ୍ପା

 

ଅମରଜଡ଼ାର ଯେପରି ଡାଳ ପୋତିଲେ ଚେର ବାହାରି ଗଛ ହୁଏ କାଠଚମ୍ପାର ମଧ୍ୟ ଡାଳ ପୋତିଲେ ସେହିପରି ଚେର ବାହାରି ଗଛ ହୁଏ । ଏହିପରି ଆହୁରି ଅନେକ ପ୍ରକାର ଗଛ ଅଛି ଯାହାର ଡାଳ ପୋତିଲେ ଗଛ ହୁଏ; ଯଥା ମଲ୍ଲୀ, କୁସୁମ, ଜୁଈ, ହେନା, ଗୋଲାପ, ସଜନା, ସିଝୁ, ପାଳଧୁଆ ଇତ୍ୟାଦି । ବରଡ଼ାଳ ମଧ୍ୟ ପୋତିଲେ ଚେର ବାହାରି ଗଛ ହୁଏ ।

 

କାଠଚମ୍ପାର ଫୁଲ ଧୋବଲା, ଭିତରଟି ହଳଦିଆ, ଗନ୍ଧ ମଧୁର ଏବଂ ସୁନ୍ଦର । କାଠଚମ୍ପା ଫୁଲ ଅଭ୍ୟାସ କରି ବରାବର ଶୁଙ୍ଘିଲେ ଚକ୍ଷୁର ଜ୍ୟୋତି ବୃଦ୍ଧି ହୁଏ ।

 

ଏଣ୍ଡିପୋକମାନେ ୧୨ ଦିନ ପରେ ବହୁତ ଗବପତ୍ର ଖାଆନ୍ତି, ଅନେକଙ୍କର ସେହି ସମୟରେ ଗବପତ୍ରର ଅଭାବ ହୁଏ । ପୋକଙ୍କ ପାଇଁ ପୁଷ୍ଟିକର ପଦାର୍ଥ ଯଥେଷ୍ଟ ନ ଥିଲେ ସୁଦ୍ଧା ସେମାନଙ୍କର ଜୀବନରକ୍ଷା ସକାଶେ ଏହି ସମୟରେ କାଠଚମ୍ପା ପତ୍ର ସେମାନଙ୍କୁ ଖାଇବାକୁ ଦିଆଯାଇପାରେ ।

 

ଗୋଟିଏ ଚମ୍ପାଫୁଲ ଓ ଆଉ ଗୋଟିଏ କାଠଚମ୍ପା ଫୁଲ ଛାତ୍ରମାନଙ୍କୁ ଦେଖାଇ ପ୍ରଶ୍ନ କର-

 

ପ୍ରଶ୍ନ

 

୧.

ଚମ୍ପାଗଛ ଦେଖିଅଛ ?

 

 

୨.

ଚମ୍ଫାଫୁଲ ଓ କାଠଚମ୍ପା ଫୁଲ ମଧ୍ୟରେ ପ୍ରଭେଦ କ’ଣ ?

 

 

୩.

କାଠଚମ୍ପା କିପରି ଲଗାଯାଏ ?

 

 

୪.

କାଠଚମ୍ପା ପରି ଲଗାଯାଉଥିବା ଆଉ ଯେତେ ଗଛ ଜାଣ ସେମାନଙ୍କର ନାମ କହ ।

 

(ଛ) ଅମୃତଭଣ୍ଡା (ପପେୟା)

 

ଅମୃତଭଣ୍ଡା ଗଛ ସମସ୍ତେ ଦେଖିଅଛ । ଏହା ଲମ୍ବ ହୋଇ ଉପରକୁ ଉଠିଯାଏ, ଯେତେ ଉଠୁଥାଏ ତାହାର ପୁରୁଣା ପତ୍ରଗୁଡ଼ିକ ଶୁଖି ଝଡ଼ି ପଡ଼ୁଥାଏ, ଅଗରେ ଗୁଡ଼ିଏ ପତ୍ର ରହେ । ପତ୍ର ତଳକୁ ଫଳଗୁଡ଼ିଏ ଧରେ । ଏହାର ଫଳ ବାରମାସ ଫଳେ ।

 

ବୈଶାଖ ବା ଜ୍ୟେଷ୍ଠ ମାସରେ ୨।୩ ଫୁଟ ଗଭୀର ଗାତ ଖୋଳି ତହିଁରେ ପଙ୍କମାଟି ଓ ଗୋବର ପ୍ରଭୃତି ଦେଇ ଛାଡ଼ିଦେବ । ବର୍ଷା ହେଲେ ୨।୩ ଫୁଟର ବଡ଼ ଚାରା ଆଣି ଲଗାଇବ ।

 

ଗଛ ୬ ଫୁଟ ଉଚ୍ଚ ହୋଇଗଲେ ତାହାର ଅଗ କୁଆଁଟି ଭାଙ୍ଗିଦେବ । ତାହାହେଲେ ଗଛ ଅଧିକ ଉଚ୍ଚକୁ ବଢ଼ି ନ ଯାଇ ପେଣ୍ଠା ହେବ ଏବଂ ଫଳ ମଧ୍ୟ ବଡ଼ ବଡ଼ ହେବ ।

 

ଅମୃତଭଣ୍ଡା ଚାଷ କରିବାକୁ ହେଲେ କିଆରିରେ ୮।୧୦ ଫୁଟ ଛଡ଼ାରେ ଉପରୋକ୍ତ ପ୍ରକାରରେ ଗାତ ଗୋଟିଏ ଗୋଟିଏ ଖୋଳି ଖତ ଭରି ଛାଡ଼ି ଦେଇଥିବ ।

 

ଭଲ ମଞ୍ଜି ଖରାରେ ଶୁଖାଇ ରଖିଥିବ । ଗୋଟିଏ ପାଚିଆ କିମ୍ବା କିରାସିନି ବାକ୍‍ସରେ ବାଲିଆ ମାଟି ଓ ଦୁଇବର୍ଷରୁ ଅଧିକ ସମୟ ପଚିଥିବା ପତୁରିଆ ମାଟି ଗୁଡ଼ିଏ ପୂର୍ଣ୍ଣ କରି ତହିଁରେ ସେହି ମଞ୍ଜି ପକାଇ ତହିଁ ଉପରେ ୧ ଇଞ୍ଚ ବହଳରେ ପତୁରିଆ ମାଟି ଦେଇ ତାକୁ ଘୋଡ଼ାଇ ଦେବ-। ଗଛ ହୋଇ ୪।୬ ଇଞ୍ଚ ବଡ଼ ହେଲେ ସେଗୁଡ଼ିକ ସାବଧାନରେ ଉଠାଇନେବ । ଅନ୍ୟ ଗୋଟିଏ ଜାଗାରେ ଭଲମାଟି ଓ ତହିଁ ସଙ୍ଗେ ଗୁଡ଼ିଏ ପତୁରିଆ ମାଟି ମିଶାଇ ଗୋଟିଏ ପିଣ୍ଡି ପ୍ରସ୍ତୁତ କରି ରଖିଥିବ । ସେହି ପିଣ୍ଡିରେ ଗଛଗୁଡ଼ିକ ଲଗାଇଦେବ । ସେ ପିଣ୍ଡି ମାଟିକୁ ଏପରି ତୟାର କରିଥିବ ଯେପରି ସେଥିରେ ଗୋଡ଼ି ବା ପଥର କିଛି ନ ଥିବ । ମାଟି ଭଲରୂପେ ଖୁସା ହୋଇଥିବ । ସେହିଠାରେ ଚାରା ୨।୩ ଫୁଟ ହୋଇଗଲେ ତାକୁ ଉଠାଇନେଇ ପୂର୍ବରୁ ଖୋଳି ରଖିଥିବା ଗାତରେ ଲଗାଇଦେବ ।

 

ଏଥିରେ ବିଶେଷ କିଛି ପରିଶ୍ରମ ନାହିଁ । ପାଣିର ବିଶେଷ ଲୋଡ଼ା ନାହିଁ । ଫଳ ବହୁତ ଫଳେ । ଅତି ଲାଭଜନକ ଫସଲ ।

 

ଗୋଟିଏ ଅମୃତଭଣ୍ଡା ଫଳ, ତାହାର ପତ୍ର, ଡେମ୍ଫ ଆଣି ରଖ । ଫଳଟି କାଟି ଛାତ୍ରମାନଙ୍କୁ ଦେଖାଇ ପର୍ଯ୍ୟବେକ୍ଷଣ କରାଅ । ନିମ୍ନଲିଖିତ ପ୍ରଶ୍ନ ଓ ଆଉ କେତେକ ପ୍ରଶ୍ନ କରି ତହିଁର ଉତ୍ତର ଆଦାୟ କର ।

 

ପ୍ରଶ୍ନ

 

୧.

ଅମୃତଭଣ୍ଡା କେଉଁ ସମୟରେ ଫଳେ ?

 

 

୨.

ଅମୃତଭଣ୍ଡା ଗଛପରି ଆଉ କୌଣସି ଗଛ ଶେଷଭାଗରେ ଏକସ୍ଥାନରେ ଫଳ ଧରିବାର ଦେଖିଅଛ ?

 

 

୩.

ଅମୃତଭଣ୍ଡା ଫଳର ଭିତରଟି କିପରି ? ମଞ୍ଜି କେଉଁଠାରେ ଥାଏ ?

 

(ଜ) କନ୍ଦମୂଳ

 

କନ୍ଦମୂଳ ଗୋଟିଏ ଲତାରୁ ହୁଏ । ଦୋରସା ମାଟିରେ କନ୍ଦମୂଳ ଭଲ ଫଳେ । ମାଟି ଶୁଖିଗଲେ ପ୍ରଥମେ ଚାଷ କରି ମାଟି ପ୍ରସ୍ତୁତ କରିଦେବ । ଦେଢ଼ଫୁଟ୍‌ ବା ଦୁଇଫୁଟ୍‌ ଲେଖାଏଁ ଛଡ଼ାରେ ହୁଡ଼ା ପ୍ରସ୍ତୁତ କରିବ । ବର୍ଷା ହେଲେ ପୁରୁଣା କନ୍ଦମୂଳ ଲତାଗୁଡ଼ିଏ ଆଣି ୩ ଗୋଟି କରି ଗଣ୍ଠି ରଖି ସେଗୁଡ଼ିକ ଖଣ୍ଡ ଖଣ୍ଡ କରି ପକାଇବ । ସେଥିରୁ ଖଣ୍ଡିଏ ଖଣ୍ଡିଏ ତେର୍ଛା କରି ସେହି ହୁଡ଼ାରେ ପ୍ରାୟ ୧ ଫୁଟ ଲେଖାଏଁ ଅନ୍ତରରେ ଲଗାଇଦେବ । କିଛି ଦିନ ପରେ ସେଥିରୁ ନୂତନ ଡଙ୍କ ଏବଂ ପତ୍ର ବାହାରି ହୁଡ଼ାଯାକ ଡଙ୍କ ଓ ପତ୍ରରେ ଢାଙ୍କି ହୋଇପଡ଼ିବ ।

 

ଏଥିରେ ଆଉ କିଛି ପରିଶ୍ରମ କରିବାକୁ ପଡ଼େନାହିଁ । କିନ୍ତୁ ଥରେ ଦୁଇଥର ବାଛିଦେଲେ ଓ ଥରେ ଦୁଇଥର ପାଣିଦେଲେ ଫଳ ବେଶୀ ହେବ । ଭାଦ୍ରବ ବା ଅଶ୍ୱିନ ମାସରେ ଲଗାଇବାକୁ ହୁଏ, ପୌଷ ବା ମାଘ ମାସରେ ଖୋଳିବାକୁ ହୁଏ । ବିହନ ସକାଶେ କେତେକ ସିଆର ନ ଖୋଳି ଛାଡ଼ିଦେଲେ ତାହାର ଲତା ପରବର୍ତ୍ତୀ ଥରକୁ ବିହନ ହେବ ।

 

କନ୍ଦମୂଳ, କନ୍ଦମୂଳ ଲତା, ଗୋଲଆଳୁ, ଖୁମ୍ବଆଳୁ, ଖୁମ୍ବଆଳୁ ଲତା, ଆଣି ଛାତ୍ରମାନଙ୍କୁ ଦେଖାଇ ପର୍ଯ୍ୟବେକ୍ଷଣ କରିବାକୁ ଶିକ୍ଷାଦିଅ । ନିମ୍ନଲିଖିତ ପ୍ରଶ୍ନ ଓ ଅନ୍ୟାନ୍ୟ ପ୍ରଶ୍ନ କରି ଉତ୍ତର ଆଦାୟ କର ।

 

ପ୍ରଶ୍ନ

 

୧.

କନ୍ଦମୂଳ ପରି ମାଟି ମଧ୍ୟରେ ଆଉ ଯେତେପ୍ରକାର ଫଳ ଫଳେ ସେମାନଙ୍କର ନାମ ବୋଲ-। ସେମାନଙ୍କୁ କେଉଁ ସମୟରେ ଲଗାଇବାକୁ ହୁଏ ?

 

 

୨.

କନ୍ଦମୂଳର ଲତା ଯେପରି ଲଗାଇବାକୁ ହୁଏ ସେହିପରି ଆଉ କାହାର ଲତା ଲଗାଇଲେ ଚେର ହୁଏ ?

 

 

୩.

ଖୁମ୍ବଆଳୁ ଲତା ଓ କନ୍ଦମୂଳ ଲତାର ପ୍ରଭେଦ କ’ଣ ?

 

(ଝ) କୋବି

 

କୋବି ସମସ୍ତେ ଦେଖିଅଛ । ସାଧାରଣତଃ ବନ୍ଧାକୋବି ବୋଲି ଯାହାକୁ କହୁଁ ତାହାର ବିଷୟ ଏଠାରେ କୁହାଯିବ ।

 

କୋବି ଚାଷରେ ବହୁତ ଯତ୍ନ ଓ ପରିଶ୍ରମ ଆବଶ୍ୟକ । କୋବିଚାରା ପ୍ରସ୍ତୁତ କରିବାଲାଗି ପ୍ରଥମେ ମାଟି ପ୍ରସ୍ତୁତ କରିବାକୁ ପଡ଼େ । ସେପ୍‌ଟେମ୍ବର ଅକ୍‌ଟୋବର ମାସରୁ ଲଗାଇବାକୁ ହୁଏ । ଗୋଡ଼ି ପଥର ଉତ୍ତମରୂପେ ବାଛି ପିଣ୍ଡିଟିଏ କରିବ । ମଞ୍ଜି ବୁଣି ତାହା ଉପରେ ୧ ଇଞ୍ଚ ମାଟି ଦେଇ ଘୋଡ଼ାଇ ରଖିବ । ମଞ୍ଜି ଗଜା ହୋଇଗଲେ ପୁଣି ଖରା ବର୍ଷାକୁ ଜଗି ବରାବର ଘୋଡ଼ାଇବ । ସମୟ ସମୟରେ ସକାଳର କଅଁଳ ଖରା ଦେବ । ମାଟି ଶୁଖିଗଲେ ଅଳ୍ପ ପାଣି ଛିଞ୍ଚିବ । ପାଣି ବେଶିହେଲେ ଚାରା ପଚିଯିବ । ଚାରା ୪।୬ ପତ୍ର ହେବା ପର୍ଯ୍ୟନ୍ତ ବରାବର ଏହିପରି ଜଗି ଯତ୍ନ ନେବାକୁ ହେବ ।

 

ଚାରା ପ୍ରସ୍ତୁତ ହେଲେ ଲଗାଇବା ସକାଶେ ଜମି ପ୍ରସ୍ତୁତ କରି ଦେଢ଼ ଫୁଟ୍ ୨ ଫୁଟ୍ ଛଡ଼ାରେ ଗୋଟିଏ ୨ ଧାଡ଼ିରେ ଚାରାଗୁଡ଼ିକ ଛଡ଼ାଛଡ଼ା କରି ଲଗାଇଦେବ । ୭ । ୮ ଦିନ ପର୍ଯ୍ୟନ୍ତ ନୂଆ ଚେର ହେବାଯାଏ ବରାବର ସନ୍ଧ୍ୟା କିମ୍ବା ସକାଳେ ପାଣି ଦେବ ।

 

ଜମିର ମାଟିକୁ ଉତ୍ତମରୂପେ ଆଗରୁ ପ୍ରସ୍ତୁତ କରିଥିବ । ଗଛ ଟିକିଏ ବଡ଼ହେଲେ ପିଡ଼ିଆ ଓ ଖତ ଦେବାକୁ ହେବ । ପ୍ରତି ଏକରରେ ୨୦୦ ମହଣ ଗୋବର ଖତ ଏବଂ ୫ ଠାରୁ ୧୦ ମହଣ ପିଡ଼ିଆ ଦେବାକୁ ପଡ଼ିବ । ଧାଡ଼ିମାନଙ୍କ ମଧ୍ୟରେ ଥିବା ସ୍ଥାନରେ ସିଆର କରିବ । ପ୍ରତି ସପ୍ତାହରେ ୩ । ୪ ଥର ଲେଖାଏଁ ପାଣି ଦେବ ।

 

ପଡ଼ିଆ ପଡ଼ିଥିବା ଜମିରେ କୋବି ଭଲ ହେବ । ପଡ଼ିଆ ଜମି ହୋଇଥିଲେ ପ୍ରଥମେ କେତେକ ଥର ବେଶି ପିଡ଼ିଆ ଦେବାର ଆବଶ୍ୟକ ହେବନାହିଁ । ଚାରା ପ୍ରସ୍ତୁତ ସଙ୍ଗେ ସଙ୍ଗେ ଖତ ଦେଇ ଉତ୍ତମରୂପେ ହଳକରାଇ ଜମିଟି ପ୍ରସ୍ତୁତ ରଖିବାକୁ ହେବ । ଛାଇତଳିଆ ଜମିରେ କୋବି ଭଲ ହେବନାହିଁ । ମେଣ୍ଢାଲଣ୍ଡି କୋବିଚାଷକୁ ଭଲ ଉପଯୋଗୀ ଖତ । ତାହା ଅଭାବରେ ସୋରିଷ ପିଡ଼ିଆ ଦିଆଯାଏ । ନହେଲେ ଗୋବର ଖତ ଦେବାକୁ ହେବ ।

 

ପ୍ରତି ଗଛକୁ ୩ ଥରରେ ସେ ୦୯ ସୋରିଷଖତ ଦରକାର । ପ୍ରତିଥର ଖତ ପଛେ ପଛେ ପାଣି ଦେବାକୁ ହେବ ।

 

ଗୋଟିଏ ବନ୍ଧାକୋବି, ଗୋଟିଏ ଫୁଲକୋବି ଓ ସାଲଗମ ପ୍ରଭୃତି ପର୍ଯ୍ୟବେକ୍ଷଣ କରିବାକୁ ଶିକ୍ଷା ଦେବ । ନିମ୍ନଲିଖିତ ପ୍ରଶ୍ନ ଓ ଅନ୍ୟାନ୍ୟ ପ୍ରଶ୍ନଗୁଡ଼ିଏ ପଚାରି ଉତ୍ତର ଆଦାୟ କର ।

 

ପ୍ରଶ୍ନ

 

୧.

କେତେ ପ୍ରକାର କୋବି ଦେଖିଅଛ ?

 

 

୨.

କୋବି ଯେଉଁ ସମୟରେ ଲାଗେ ସେହି ସମୟରେ ଆଉ କି କି ଫସଲ ଲଗାଯାଏ ? ସେସବୁ କିପରି ଲଗାଯାଏ କହିପାରିବ ?

 

 

୩.

କୋବିରେ କିପରି ପିଡ଼ିଆ ଦିଆଯାଏ ଦେଖିଅଛ ?

Image

 

ଦ୍ୱିତୀୟ ଅଧ୍ୟାୟ – ତୃତୀୟଶ୍ରେଣୀ

(କ) ରେଶମ

 

ରେଶମର ସାଧାରଣ ନାମ ପାଟ । ପାଟ କେତେକଗୁଡ଼ିଏ ପୋକଙ୍କର ପାଟିରୁ ଉତ୍ପନ୍ନ ହୁଏ । ଆମ୍ଭମାନଙ୍କର ଏହି ଭାରତବର୍ଷରେ ଚାରି ପ୍ରକାର ରେଶମ ଉତ୍ପନ୍ନ ହେଉଅଛି; ଯଥା–୧-ମୁଗା, ୨-ପାଟ, ୩-ଏଣ୍ଡି ଓ ୪-ମଠା ।

 

ଏହି ଭିନ୍ନ ଭିନ୍ନ ଜାତୀୟ ରେଶମ ଭିନ୍ନ ଭିନ୍ନ ଜାତୀୟ ପୋକ ପ୍ରସ୍ତୁତ କରନ୍ତି । ସେମାନେ ଦେଖିବାକୁ ରୂପରେ ଯେପରି ଭିନ୍ନ ଭିନ୍ନ ପ୍ରକାରର ସେମାନଙ୍କର ଆହାରରେ ମଧ୍ୟ ସେହିପରି ପାର୍ଥକ୍ୟ ଅଛି । ସମସ୍ତେ ଗଛର ପତ୍ର ଖାଇ ପ୍ରାଣ ଧାରଣ କରନ୍ତି, ମାତ୍ର ଭିନ୍ନ ଭିନ୍ନ ଜାତିର ପୋକ ଭିନ୍ନ ଭିନ୍ନ ଗଛର ପତ୍ର ଖାନ୍ତି ।

 

ସାଧାରଣତଃ ଆମ୍ଭେମାନେ ଯେଉଁ ରେଶମକୁ ପାଟ ବୋଲି କହୁଁ ତାହା ଯେଉଁ ପୋକ ଦିଅନ୍ତି ସେମାନେ ତୁତି ଗଛର ପତ୍ର ଖାନ୍ତି । ତୁତି ଗଛକୁ ମାଲବାରି ମଧ୍ୟ କହନ୍ତି । ଯେଉଁ ପୋକମାନେ ଟସର ଦିଅନ୍ତି ସେମାନେ ବରକୋଳି, ଅସନ, ଅର୍ଜୁନ ପ୍ରଭୃତି ଗଛର ପତ୍ର ଖାନ୍ତି । ଯେଉଁ ପୋକ ମୁଗା ଦିଅନ୍ତି ସେମାନେ ସୋମଗଛ ବୋଲି ଏକପ୍ରକାର ଗଛ ଅଛି ସେହି ଗଛର ପତ୍ର ଖାନ୍ତି । ଯେଉଁ ପୋକ ଏଣ୍ଡି ରେଶମ ଦିଅନ୍ତି ସେମାନଙ୍କର ପ୍ରଧାନ ଖାଦ୍ୟ ଜଡ଼ାପତ୍ର । ଜଡ଼ାକୁ ସଂସ୍କୃତରେ ଏରଣ୍ଡ ବୋଲାଯାଏ । ଏହି ପୋକଙ୍କର ପ୍ରଧାନ ଆହାର ଏରଣ୍ଡ ପତ୍ର । ତେଣୁ ଏମାନଙ୍କର ନାମ ‘‘ଏରଣ୍ଡ’’ର ଅପଭ୍ରଂଶରୁ ‘‘ଏଣ୍ଡି’’ ହୋଇଥିବାର ଅନୁମାନ କରାଯାଏ ।

 

(ଖ) ଏଣ୍ଡି ରେଶମ

 

ଯେଉଁ ଚାରି ପ୍ରକାର ରେଶମ କଥା ପଢ଼ିଅଛ ସେମାନଙ୍କ ମଧ୍ୟରେ ମୁଗା ସବୁଠାରୁ ଉତ୍କୃଷ୍ଟ ପାଟ, ଅର୍ଥାତ୍‌ ତୁତିପତ୍ର ଖାଉଥିବା ପୋକ ଯେଉଁ ରେଶମ ଦିଅନ୍ତି ତାହା ମଧ୍ୟ ଏଣ୍ଡିଠାରୁ କେତେକ ଗୁଣରେ ସରସ । ତଥାଚ ଏଣ୍ଡି ଖୁବ୍‌ଟାଣ, ଗରମ ଏବଂ ଦେହକୁ ନରମ ଲାଗେ । ଏହି ହେତୁରୁ ଅନେକ ଲୋକ ଏଣ୍ଡି ଚାଦର ବ୍ୟବହାର କରନ୍ତି ଏବଂ ଜାମା ଓ ପୋଷାକ ନିମନ୍ତେ ଏଣ୍ଡି କପଡ଼ା ପସନ୍ଦ କରନ୍ତି ।

 

ଏଣ୍ଡି ପାଟଲୁଗା ଭାରି ସରସ

ବାଡ଼େଇ କଚାଡ଼ି ନିତି ପିନ୍ଧୁଥାଅ

ତେବେ ମାରିଯିବ ତେରବରଷ ।

 

ଏଣ୍ଡି କପଡ଼ାର ଅସୀମ ଗୁଣ

ଦେହକୁ ନରମ ଶୀତକୁ ଗରମ

ଖରାଦିନେ ଥଣ୍ଡା ରଖିବ ପୁଣ ।

 

ଅନ୍ୟ ତିନିଜାତି ରେଶମର ସୂତା ବାହାର କରିବା କାରଣ ପୋକଗୁଡ଼ିଙ୍କୁ ମାରିଦେବାକୁ ପଡ଼େ, ମାତ୍ର ଏଣ୍ଡି ପୋକଙ୍କୁ ମାରିବାକୁ ପଡ଼େନାହିଁ । ଅନ୍ୟ ରେଶମର କୋଷାଗୁଡ଼ିକରୁ ଗୋଟିଏ ଖିଅ ବାହାରେ । ତେଣୁ କୋଷା ମଧ୍ୟରେ ପୋକ ଜୀବିତ ଥିବା ଅବସ୍ଥାରେ ତାହାକୁ ଗରମ ଜଳରେ ପକାଇ ସେହି ଖିଅଟି ଧରି ଟାଣିବାକୁ ପଡ଼େ । ଟାଣିଲେ ଖିଅଟି ବାହାରିଯାଏ । ତାହା ନ କଲେ ପୋକ ପ୍ରଜାପତି ହୋଇକୋଷାକୁ କାଟି ବାହାରିଆସେ । କୋଷା କଟିଗଲେ ସୂତା ବାହାରେ ନାହିଁ, ତେଣୁ ପୋକଙ୍କୁ ମାରିଦେବାର ଆବଶ୍ୟକ ହୁଏ ।

 

ଏଣ୍ଡି କୋଷାରୁ ସେପରି ଖିଅ ବାହାରେ ନାହିଁ । ତେଣୁ ପୋକ ପ୍ରଜାପତି ହୋଇ କୋଷାକୁ କାଟିଦେଲେ ମଧ୍ୟ କିଛି କ୍ଷତି ହୁଏନାହିଁ । ସବୁ ରେଶମର ପୋକ କୋଷାକରି କୋଷା ମଧ୍ୟରେ କେତେକ କାଳ ବନ୍ଦହୋଇ ରହନ୍ତି । ତହିଁରେ ପ୍ରଜାପତି ହୋଇ ବାହାରି ଆସନ୍ତି । ଏଣ୍ଡି ରେଶମରେ ମଧ୍ୟ ସେହିପରି ପ୍ରଜାପତି ହୋଇ ବାହାରି ଆସନ୍ତି । ତହିଁ ପରେ ଖାଲି କୋଷାଗୁଡ଼ିକୁ ସିଝାଇ ତାହାକୁ ଅରଟରେ କପାସୂତା କାଟିଲାପରି ସୂତା କାଟିବାକୁ ହୁଏ ।

 

(ଗ) ଏଣ୍ଡିପୋକ

 

ଏଣ୍ଡିପୋକ ବଡ଼ ନିରୀହ ପ୍ରାଣୀ । ସେମାନେ କାହାରି କିଛି ଅନିଷ୍ଟ କରନ୍ତି ନାହିଁ, କାହାରିକୁ କାମୁଡ଼ନ୍ତି ନାହିଁ । ସେମାନଙ୍କ ଦେହରେ ସଁବାଳୁଆ ପରି କୌଣସି ଲୋମ ନାହିଁ କିମ୍ବା ମୁହଁରେ ଶିଙ୍ଗ ବି ନାହିଁ । ତେଣୁ ସେମାନଙ୍କୁ ପୋଷିଲେ କାହାରି କିଛି ଅନିଷ୍ଟ ହେବାର ଭୟ ନାହିଁ ।

 

ଏଣ୍ଡି ପୋକଙ୍କର ୪ ଗୋଟି ଅବସ୍ଥା; ଯଥା :— ୧-ଅଣ୍ଡା, ୨-ପୋକ, ୩-କୋଷା, ୪-ପ୍ରଜାପତି ।

 

ଅଣ୍ଡା ଫୁଟି ପୋକ ବାହାରନ୍ତି । ଶୀତକାଳ ଛଡ଼ା ଅନ୍ୟ ସବୁଦିନେ ପୋକଗୁଡ଼ିକ ୧୮ ଦିନ ପର୍ଯ୍ୟନ୍ତ ଗବପତ୍ର ଖାଇ ବଢ଼ନ୍ତି । ୧୮ ଦିନରେ ଖାଇବା ବନ୍ଦକରି କୋଷା ବୁଣି ସେହି କୋଷା ମଧ୍ୟରେ ରହନ୍ତି । ଶୀତ କାଳଛଡ଼ା ଆଉ ସବୁ କାଳରେ କୋଷା ମଧ୍ୟରେ ୧୮ଦିନ ବନ୍ଦ ରହନ୍ତି । ତହିଁ ପରେ ପ୍ରଜାପତି ହୋଇ ବାହାରନ୍ତି । ମାଈ ପ୍ରଜାପତି ଅଣ୍ଡା ଦିଅନ୍ତି । ତହିଁପରେ ଆପେ ଆପେ ମରିଯାନ୍ତି । ଅଣ୍ଡିରା ପ୍ରଜାପତିଗୁଡ଼ିକ ମଧ୍ୟ ସେହିପରି ମରିଯାନ୍ତି ।

 

(ଘ) ଏଣ୍ଡି ପୋକଙ୍କର ଆହାର

 

ଗବପତ୍ର ଏଣ୍ଡିପୋକଙ୍କର ଏକମାତ୍ର ଆହାର ଅଟେ । ପୋକ ବଡ଼ ହୋଇଗଲେ, ଅର୍ଥାତ୍‌ ୧୨ ଦିନର ହେବାପରେ ଯେବେ ଗବପତ୍ର ନିତାନ୍ତ ଅଭାବ ହୁଏ ତେବେ ଅମୃତଭଣ୍ଡା (ପପେୟା) ପତ୍ର, କୋବି ପତ୍ର, କାଠଚମ୍ପାପତ୍ର, କନ୍ଦମୂଳପତ୍ର ବା କଅଁଳିଆ କଦଳୀପତ୍ର ମଧ୍ୟ ଦେଲେ ସେମାନେ ଖାଇବେ । ଏସବୁ ପତ୍ରଦ୍ୱାରା ସେମାନଙ୍କର ଜୀବନ ରକ୍ଷା ହୋଇପାରିବ, ମାତ୍ର ଏଥିରେ ସେମାନଙ୍କ ସକାଶେ ପୁଷ୍ଟିକର ପଦାର୍ଥ କିଛି ନାହିଁ ।

 

ଆସାମ ଅଞ୍ଚଳରେ କେସାରୁ ନାମକ ଏକପ୍ରକାର ଗଛ ହୁଏ ଓ ସେଠାରେ ଏଣ୍ଡିପୋକଙ୍କୁ କେସାରୁପତ୍ର ଖାଇବାକୁ ଦିଅନ୍ତି । ମାତ୍ର କେସାରୁ ଗଛ ଏ ଅଞ୍ଚଳରେ ହୁଏନାହିଁ ।

 

ଏଣ୍ଡିପୋକଙ୍କୁ ୧ମ ଦିନ ଖୁବ୍‌ କଅଁଳ ଗବପତ୍ର ଦେବାକୁ ହେବ, କ୍ରମେ ପୋକ ଯେତେ ବଡ଼ ହେଉଥିବେ କ୍ରମେ ତେତେ ବଡ଼ ଗବପତ୍ର ଦେବାକୁ ହେବ । ଛୋଟପୋକଙ୍କୁ ପାକଳପତ୍ର ଦେବନାହିଁ ଓ ବଡ଼ପୋକଙ୍କୁ କଅଁଳ ପତ୍ର ଦେବନାହିଁ, ଗଛରୁ ପତ୍ର ତୋଳିଆଣି ସଙ୍ଗେ ସଙ୍ଗେ ପୋକଙ୍କୁ ଦେଲେ ଅତି ଉତ୍ତମ ହେବ । ମାତ୍ର ନିଜ ବାଡ଼ିରେ ଓ ଅତି ନିକଟରେ ଗବଗଛ ନ ଥିଲେ ଏ ସୁବିଧା ହୋଇନପାରେ, ତେବେ ଯେଉଁଦିନ ପତ୍ର ତୋଳାହେବ ସେହିଦିନ ଖାଇବାକୁ ଦେଲେ କିଛି କ୍ଷତି ହେବନାହିଁ । ଥରେ ପତ୍ର ତୋଳିଆଣି ତହିଁ ଉପରେ ଓଦାକନା ପକାଇ ରଖିଲେ ୨୦।୨୨ ଘଣ୍ଟା ପର୍ଯ୍ୟନ୍ତ ଚଳିପାରିବ । ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ପତ୍ର ତୋଳିଆଣି ରଖିଲେ ବିଶେଷ ସୁବିଧା । ଗବପତ୍ରରେ ପାଣି ବା କାକର ଲାଗିଥିବା ଅବସ୍ଥାରେ ପୋକଙ୍କୁ ଦେବନାହିଁ । ପାଣି ବା କାକର ଶୁଖିଗଲାପରେ ଦେବ । ପାଚିଲା, ପଚରା ବା ଶୁଖିଲାପତ୍ର ପୋକଙ୍କୁ ଦେବା ଉଚିତ ନୁହେ । ପତ୍ରରେ କାଦୁଅ ବା ଧୂଳି ଲାଗିଥିଲେ ତାହା ଉତ୍ତମରୂପେ ଧୋଇ ପରିଷ୍କାର କରି ପାଣି ଶୁଖିଗଲେ ଖାଇବାକୁ ଦେବ । ପୋକଙ୍କର ପ୍ରଥମ ଅବସ୍ଥାରେ ଅତି ଅଳ୍ପ ପତ୍ର ଆବଶ୍ୟକ ହେବ । କ୍ରମେ ପୋକ ଯେତେ ବଢ଼ୁଥିବେ ପତ୍ର ମଧ୍ୟ ଅଧିକ ଲୋଡ଼ା ହେଉଥିବ । ୧୨ ଦିନଠାରୁ ବହୁପରିମାଣ ପତ୍ରର ଆବଶ୍ୟକ ହେବ ।

 

ପ୍ରଥମ ଦିନରେ ୧୬ ହଜାର ପୋକଙ୍କ ସକାଶେ ସକାଳ ଓ ସନ୍ଧ୍ୟା ଦୁଇବେଳାରେ ୩ ତୋଳା ଓଜନର କଅଁଳ ପତ୍ର ଯଥେଷ୍ଟ ହେବ । ୨ୟ ଦିନରେ ସେ ୦୩ ପତ୍ର ଆବଶ୍ୟକ । ୩ୟ ଦିନରେ ୪ ଥର ପତ୍ର ଦେବାକୁ ହେବ । ସକାଳ ୫ ଟାରେ ଓ ୧୦ ଟାରେ ଦୁଇଥରରେ ସେ ୦୧/୨୧୦ ଓଜନର ପତ୍ର ଆବଶ୍ୟକ । ଏଦିନ ଅନେକ ପୋକ ଆହାର ବନ୍ଦ କରିବେ । ଉପରବେଳା ୫ଟା ଓ ରାତ୍ର ୯ଟା ଏରୂପେ ଦୁଇଥରରେ ୫ ତୋଳା ଓଜନର ପତ୍ର ଲାଗିବ । ଏହିପରି ଯେତେ ପତ୍ର ଖାଇବେ ତେତେ ପତ୍ର ଦେବାକୁ ହେବ ।

 

କ୍ରମେ ପତ୍ରର ପରିମାଣ ବଢ଼ୁଥିବ । ୧୩ଶ ଦିନକୁ ସକାଳ ଉପର ବେଳା ଓ ରାତ୍ର ପର୍ଯ୍ୟନ୍ତ ପ୍ରାୟ ୩୦ ସେର ପତ୍ର ଆବଶ୍ୟକ । ୧୭ଶ ଦିନକୁ ପ୍ରାୟେ ସେ ୬୫ ପତ୍ର ଆବଶ୍ୟକ । ୧୮ଶ ଦିନକୁ ପାକଳ ହେବାକୁ ଆରମ୍ଭ କରିବେ, ପତ୍ରର ପରିମାଣ କମିଯିବ ।

 

ପୋକମାନେ ୩ୟ, ୫ମ, ୮ମ, ଓ ୧୧ଶ ଦିନ ମାନଙ୍କରେ ଆହାର ବନ୍ଦ କରିବେ । ଯେତେବେଳେ ସେମାନେ ନିଶ୍ଚଳ ହୋଇ ପଡ଼ି ରହିଥିବେ ତେତେବେଳେ ପତ୍ର ଦିଆଯିବ ନାହିଁ । ଉପରେ ୧୬ ହଜାର ପୋକଙ୍କର ଆହାର ସମ୍ବନ୍ଧେ ଗୋଟିଏ ମୋଟାମୋଟି ପରିମାଣ ଦିଆଗଲା, ତହିଁରୁ ଅନ୍ୟ ଦିନମାନଙ୍କର ପତ୍ରର ପରିମାଣ ସହଜରେ ଅନୁମାନ କରି ହେବ । ବାଳକ, ବାଳିକା, ସ୍ତ୍ରୀ, ବୃଦ୍ଧ ଓ ଯୁବକ ସମସ୍ତେ ଏଣ୍ଡିପୋକ ପୋଷିପାରିବେ । ଏଣ୍ଡି ପୋକଙ୍କୁ ପତ୍ର ଖୋଇବାକୁ ଓ ଡାଲା ଝାଡ଼ିବାକୁ ବିଶେଷତଃ ବାଳକ ବାଳିକାମାନଙ୍କୁ ଅତି କୌତୁହଳଜନକ ବୋଧହୁଏ । ପୋକମାନଙ୍କର ସ୍ୱଭାବରୁ ସେମାନେ ଅନେକ ବିଷୟ ଶିକ୍ଷା କରିପାରିବେ ।

 

(ଙ) ଉପକରଣ

 

ଏଣ୍ଡିପୋକ ପୋଷିବା ଲାଗି କେତେକଗୁଡ଼ିଏ ଡାଲା, ଗୋଟିକେତେ ଟୋକେଇ, ଗୋଟିଏ ଚାରିପାହିଆ ଏବଂ ଗୁଡ଼ିଏ ଆମ୍ବପତ୍ର ଆବଶ୍ୟକ ।

Image

 

ପୋକ ଡାଲାରେ ରଖି ପାଳିବାକୁ ହୁଏ । ପୋକ ଯେତେ ବଡ଼ହେବେ ତେତେ ବେଶି ଡାଲା ଆବଶ୍ୟକ । ପ୍ରଥମ ଦିନର ପୋକ ଗୋଟିଏ ୬ ବର୍ଗଫୁଟ ଡାଲାରେ ୧୬ ହଜାର ପର୍ଯ୍ୟନ୍ତ ରହିପାରିବେ । କ୍ରମେ ପୋକ ଯେତେ ବଡ଼ ହେବେ ତେତେ ଡାଲାର ପରିମାଣ ବଢ଼ାଇବାକୁ ହେବ-। ପୋକ ବଡ଼ ହୋଇଗଲେ ଗୋଟିଏ ୬ ବର୍ଗଫୁଟ ଡାଲାରେ ୩୦୦ରୁ ବେଶି ପୋକ ରହିପାରିବେ ନାହିଁ । ଅଳ୍ପ ସ୍ଥାନରେ ବେଶି ପୋକ ରଖିଲେ ପୋକଗୁଡ଼ିକ ଦୁର୍ବଳ ହୋଇଯିବେ, ସ୍ଥାନ ଅଭାବରୁ ବଢ଼ିପାରିବେ ନାହିଁ ମଧ୍ୟ ରୁଗ୍‍ଣ ହେବେ ।

 

ଡାଲାର ପରିମାଣ ବଢ଼ିଲେ ଅଳ୍ପ ସ୍ଥାନରେ ବେଶି ଡାଲା ରଖିବାର ସୁବିଧା ନିମନ୍ତେ କାଠ କିମ୍ବା ବାଉଁଶର ଚାରିପାହିଆ ବା ଘୋଡ଼ିଆତୟାର କରିବା ଆବଶ୍ୟକ । ସେହି ଘୋଡ଼ିଆରେ କେତେକ ଗୁଡ଼ିଏ ଥାଳ କରିଦେଲେ ଗୋଟିଏ ଘୋଡିଆରେ ଅନେକଗୁଡ଼ିଏ ଡାଲା ରହିପାରିବ । ଚିତ୍ରରେ ଦେଖ, ସହଜରେ ବୁଝିପାରିବ ।

 

ଡାଲା ବେଶୀ ଯୋଗାଇ ନ ପାରିଲେ ବଡ଼ପୋକଙ୍କ ସକାଶେ ଘୋଡ଼ିଆର ପ୍ରତି ଥାକରେ ଖଣ୍ଡିଏ ଲେଖାଏଁ ନଡ଼ିଆ ପତ୍ରର ଛପା ରଖିଦେଇ ତହିଁ ଉପରେ ପୋକ ଛାଡ଼ିଦେଲେ ଅନେକ ପୋକ ରହିପାରିବେ । ଭଙ୍ଗାମୁଗୁରା, ଚିକ୍‌ ପ୍ରଭୃତିର ଅଂଶ ଏଥିସକାଶେ ବ୍ୟବହାର କରିପାର ।

 

ପୋକ ପାକଳ ହେଲେ ଅର୍ଥାତ୍‌ ସେମାନଙ୍କର କୋଷା ଦେବାର ସମୟ ହେଲେ ଗୋଟିଏ ଟୋକେଇରେ ଦରଶୁଖିଲା ଆମ୍ବପତ୍ର ଗୁଡ଼ିଏ ପୂର୍ଣ୍ଣକରି ପୋକମାନଙ୍କୁ ତହିଁ ମଧ୍ୟରେ ଛାଡ଼ିଦେବାକୁ ହେବ । ସେମାନେ ସେହି ଆମ୍ବପତ୍ରରେ କୋଷା ବାନ୍ଧିବେ ।

 

କୋଷାପାଚିଆ ବିଷୟ ପରେ ବିଶଦରୂପେ ବର୍ଣ୍ଣିତ ହେବ ।

Image

 

ହାତ – କାମ

 

୨ୟ ଓ ୩ୟ ଶ୍ରେଣୀର ଛାତ୍ରମାନଙ୍କ ନିମନ୍ତେ ହାତକାମ ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟର ତାଲିକା ନିମ୍ନରେ ପ୍ରକାଶିତ ହେଲା । ଶିକ୍ଷକ ମହାଶୟ ଛାତ୍ରମାନଙ୍କର ଜ୍ଞାନ ଓ ଶକ୍ତି ଅନୁଯାୟୀ ତାହା କାର୍ଯ୍ୟରେ ପରିଣତ କରିବା ନିମନ୍ତେ ଯତ୍ନ କରିବେ :—

 

୧.

ଶିକ୍ଷକ ପ୍ରତ୍ୟେକ ଛାତ୍ରକୁ ୪ଗୋଟି ମାଟି ପଲମ ବା ସରା ଆଣିବାକୁ କହିବେ । ତତ୍‍ପରେ ଗୋଟିଏ ସରାରେ ମାଟି ରଖି ସେଥିରେ ଗୋଟିଏ ଗବମଞ୍ଜି ପୋତିବାକୁ କହିବେ । ୨ୟ ସରାରେ ଖାଲି ପାଣି ରଖି ସେଥିରେ ଗୋଟିଏ ଗବମଞ୍ଜି ପକାଇଦେବାକୁ କହିବେ । ୩ୟ ସରାରେ ମାଟି ଦେଇ, ସେଥିରେ ଗୋଟିଏ ଗବମଞ୍ଜି ପୋତି ଦେବାକୁ ଓ ସେଥିରେ ଟିକିଏ ପାଣି ଛିଞ୍ଚି ଦେବାକୁ କହିବେ । ୪ର୍ଥ ସରାରେ ମାଟି ଓ ପାଣି ଦେଇ ଗୋଟିଏ ମଞ୍ଜି ପୋତି ଦେଇ ସରା ଉପରେ ଗୋଟିଏ ହାଣ୍ଡି ଢାଙ୍କିଦେବାକୁ କହିବେ ।

 

 

 

୭ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାବେଳେ ଛାତ୍ରମାନେ ପ୍ରତ୍ୟେକ ସରାର କାର୍ଯ୍ୟ ପର୍ଯ୍ୟବେକ୍ଷଣ କରି ନୋଟ୍‍ ଲେଖିବେ ।

 

 

୨.

ସ୍କୁଲ ଉଦ୍ୟାନରେ ଥିବା ୪ ଗୋଟି ବୃକ୍ଷ, ଲତା ବା ଗୁଳ୍ମ ଶିକ୍ଷକ ବାଛିନେବେ । ପ୍ରତ୍ୟେକ ଗଛର ଡାହାଣ ପାଖରେ ଖଣ୍ଡେ ଲମ୍ବା ବତା ବା ବାଉଁଶ ପୋତିଦେବେ । ଗଛ, ଲତା ବା ଗୁଳ୍ମର ମୂଳରୁ ଶେଷ ପର୍ଯ୍ୟନ୍ତ ବାଉଁଶ ସହିତ ବାନ୍ଧିଦେବେ ।

 

 

 

ଏକମାସ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ ଏହାର ବୃଦ୍ଧି ବା ହ୍ରାସ ପ୍ରତ୍ୟେକ ସପ୍ତାହରେ ଥରେ ବା ଦୁଇଥର ଲକ୍ଷ୍ୟ କରିବାକୁ ହେବ । ସପ୍ତାହ ମଧ୍ୟରେ ବୃକ୍ଷ, ଲତା ବା ଗୁଳ୍ମ କେତେ ବଢ଼ିଛି, ତାହା ବତା ବା ବାଉଁଶରେ ଦାଗ ଦେଇ ମାପିବାକୁ ହେବ ।

 

 

 

ପ୍ରତ୍ୟେକ ସପ୍ତାହର ପର୍ଯ୍ୟବେକ୍ଷଣ ଛାତ୍ରମାନେ ନୋଟ୍‍ କରି ଡାଇରୀ ଫାରମରେ ପୂରଣ କରିବେ ।

 

 

୩.

ଗଛର ରସ ଗ୍ରହଣ ସମ୍ବନ୍ଧରେ ପରୀକ୍ଷା ଇତ୍ୟାଦି–

 

୧.

ଗୋଟିଏ ଫରଚା ମୁହାଁ ବୋତଲରେ ଅଧେ ପାଣି ରଖି ସେଥିରେ ଗୋଟିଏ ପିଆଜ ରଖିଦିଅ । କିଛି ଦିନପରେ ପିଆଜ ଗଛର ଚେର ଓ କାଣ୍ଡର ବୃଦ୍ଧି ଲକ୍ଷ୍ୟକର ।

 

 

୨.

ମାଟିରେ ପିଆଜ, ପିଆଜ ଗଛର ଚେର, କାଣ୍ଡ, ପତ୍ର, ଶଣ୍ଢା ଗତି ।

 

 

୩.

ଖଣ୍ଡେ ଭିଜା କନାରେ କିଛି ସୋରିଷ ରଖି ତାହାର ଗଜା, ପତ୍ର, ଚେର ଲକ୍ଷ୍ୟ କର ।

 

 

୪.

ମାଟିରେ ଗୋଟିଏ ମୂଳା ଗଛ ଗଢ଼ ।

 

 

୫.

କେତେକଗୁଡ଼ିଏ ଲତାର ନାମ କହ, ଯେଉଁମାନେ ଡାହାଣରୁ ବାଆଁକୁ ଲଟିଯାନ୍ତି ଓ ଯେଉଁମାନେ ବାଆଁରୁ ଡାହାଣକୁ ଲଟିଯାନ୍ତି ।

 

 

୬.

ଯେଉଁ ଲତାଗୁଡ଼ିକ ବାଆଁରୁ ଡାହାଣକୁ ଲଟନ୍ତି, ଯଦି ସେମାନଙ୍କୁ ଆମ୍ଭେମାନେ ଜୋର କରି ଡାହାଣକୁ ବାଆଁକୁ ଲଟାଇବା ତାହାହେଲେ ସେମାନଙ୍କର ବୃଦ୍ଧି ପକ୍ଷେ ବାଧା ହେବ ନାହିଁ ତାହା ଲକ୍ଷ୍ୟ କର ।

 

୧.

୩ୟ ଶ୍ରେଣୀର ଛାତ୍ରମାନେ ପ୍ରତିଦିନ ଗବପତ୍ର ଆଣିବେ । ଡାଲାଗୁଡ଼ିକ ପରିଷ୍କାର କରିବେ-। ଡାଲାରେ ପତ୍ର ପକାଇ ପୋକ ଗୁଡ଼ିକ ସେଥିରେ ଲାଗିଲେ ତହିଁରୁ ଅନ୍ୟ ଡାଲାକୁ ସ୍ଥାନାନ୍ତରିତ କରିବେ ।

 

 

୨.

ଛାତ୍ରମାନେ ନଡ଼ିଆପତ୍ରର ଚାଞ୍ଚ, ତାଳପତ୍ରର ଡାଲା, ଯାହା କି ପୋକ ରହିବା ପକ୍ଷେ ଉପଯୋଗୀ ହେବ କାହା ବୁଣିବେ ।

 

 

୩.

ବାଉଁଶର ଘୋଡ଼ିଆ ପ୍ରସ୍ତୁତ କରିବେ ।

 

 

୪.

ପୋକମାନଙ୍କର କ୍ରମଶଃ ବୃଦ୍ଧି ଲକ୍ଷ୍ୟ କରିବେ ।

Image